ଜିଅନ୍ତା ଗପ: ବର୍ଷାରେ ଗୁଲୁଗୁଲାର ଲୋଭ

-Odia comedy story

ଲଘୁଚାପର ବର୍ଷା ଲାଗି ରହିଥାଏ। ଭଡାଘରେ ବସି ବାହାରକୁ ଚାହୁଁଥିବା ବେଳେ ହଠାତ୍ ମନକୁ ଆସିଗଲା “ଜିଏ ପ୍ଲଟ” ରାସ୍ତା କଡରେ ଥିବା ଗୁଲୁ ଭାଇଙ୍କ ଗରମ ଗରମ ଗୁଲୁଗୁଲା। ବରା, ଚପ, ପକୁଡି ବହୁତ ଖାଇଛି, କିନ୍ତୁ ସେଦିନ ମନଟା ଅଟକି ଯାଇଥିଲା ଗୁଲୁଗୁଲା ପାଖରେ। ଗୁଲୁ ଭାଇଙ୍କ ହାତର ଗୁଲୁଗୁଲାର ସ୍ୱାଦ ଅଲଗା। ଖାଇଲେ ମସମସ ଲାଗେ, ଭାବିଲେ ହିଁ ପାଟିରେ ପାଣି ଆସିଯାଏ। ଆଉ ରହିହେବନି, ଯେମିତି ହେଉ ଆଜି ଗୁଲୁଗୁଲା ଖାଇବା ନିଶ୍ଚିତ।

ବାଇକ ଡିକିରୁ ରେନିକୋର୍ଟ ବାହାର କଲି ଏବଂ ତରବରିଆରେ କେବଳ ଉପର ସାର୍ଟଟା ପିନ୍ଧି ବର୍ଷା ଭିତରେ ବାହାରି ପଡିଲି। କିଛି ବାଟ ଯିବା ପରେ ହଠାତ୍ ଗୋଡ ଆଡୁ ଥଣ୍ଡା ଥଣ୍ଡା ଲାଗିଲା। ତଳକୁ ଚାହିଁ ଦେଖିଲି ଯେ ମୁଁ ପ୍ୟାଣ୍ଟ ପିନ୍ଧିବାକୁ ଭୁଲିଯାଇ କେବଳ ବକ୍ସର ପିନ୍ଧି ବାହାରି ଆସିଛି। ସେତେବେଳକୁ ଦୁଇଟା ଗଳି ପାର ହୋଇସାରିଛି। ଫେରିବାକୁ ଲାଜ ଲାଗିଲା, ଆଗକୁ ଯିବାକୁ ଭୟ ଲାଗିଲା, କିନ୍ତୁ ଗୁଲୁଗୁଲାର ଲୋଭ ମୋତେ ଆଗକୁ ନେଉଥିଲା।

ଭାବିଲି ପାଖରେ ରଘୁ ଦୋକାନରୁ କିଛି ନେଇଦେବି, କିନ୍ତୁ ସେଠାରେ ଯାଇ ଦେଖିଲି କେତୋଟି ପୁରୀ ଆଉ କିଛି ବରା ମୁହଁ ସୁକାଇ ବସିଛନ୍ତି। ମନ ଭରିଲା ନାହିଁ। ସେତେବେଳେ ନିଷ୍ପତ୍ତି ନେଲି ଯେ ଆଜି ଯଦି ଖାଇବି, ତେବେ ଗୁଲୁ ଭାଇଙ୍କ ଗୁଲୁଗୁଲା ହିଁ ଖାଇବି। ପୁଣି ଚାଲିଲି ଜିଏ ପ୍ଲଟ ଆଡକୁ। ରେନିକୋର୍ଟ ଉପରେ ବର୍ଷା ପାଣି ପଡି ଚିଡି ଚିଡି ଶବ୍ଦ କରୁଥିଲା। ଝଟକା ପବନ ଆସିଲେ କୋର୍ଟଟା ଉପରକୁ ଉଡିଯାଉଥିଲା ଆଉ ବର୍ଷା ଛିଟା ଆସି ମୋ ବକ୍ସରକୁ ଭିଜାଇ ସାରିଥିଲା। ଥଣ୍ଡାରେ ଶରୀର କମ୍ପୁଥିଲା, କିନ୍ତୁ ମନଟା ଥିଲା କେବଳ ଗୁଲୁଗୁଲା ପାଖରେ।

ବାଟରେ ଯାଉ ଯାଉ ଭାବୁଥିଲି ଯେ ସେଠି ଠିଆ ହୋଇ ଖାଇବି ନା ଘରକୁ ନେଇଯିବି। ସେଠି ଖାଇଲେ ଘୁଗୁନି ଟିକେ ଅଧିକ ମିଳିବ, ନେଇଆସିଲେ ସେ ମଜା ନାହିଁ। ପୁଣି ବର୍ଷା ପାଣିରେ ସବୁ ଭିଜିଯିବ କି ନାହିଁ ସେ ଚିନ୍ତା ମଧ୍ୟ ଥିଲା। ଏମିତି ଭାବୁ ଭାବୁ ଶେଷରେ ଗୁଲୁ ଭାଇଙ୍କ ଦୋକାନ ପାଖରେ ପହଞ୍ଚିଗଲି। ରାସ୍ତା ଏପଟେ ମୁଁ ଏବଂ ରାସ୍ତା ସେପଟେ ଗୁଲୁ ଭାଇଙ୍କ ଦୋକାନ। ଖୁସିରେ ସେପଟକୁ ଚାହିଁ ଦେଖିଲି ଯେ ଦୋକାନ ଆଗରେ କେହି ନାହାନ୍ତି। ପାଖକୁ ଯାଇ ଦେଖିଲି, ଗୁଲୁ ଭାଇ ଗୋଡ ଲମ୍ବେଇ ବସି ହଣ୍ଡା ମାଜୁଛନ୍ତି। ମୋତେ ଦେଖି ହସି ହସି କହିଲେ, “ଭାଇ, ଆଜି ଦୋକାନ ଟିକେ ଜଲ୍ଦି ବନ୍ଦ କରିଦେଲି, ମାଲ ସବୁ ସରିଗଲା।”

ବସ୍, ସେଇଠି ମୋର ଗୁଲୁଗୁଲାର ସ୍ୱପ୍ନ ସେ ଲଘୁଚାପ ବର୍ଷାରେ ଭିଜିଗଲା। ଆଜି ବି ମନେ ପଡିଲେ ଲାଗେ, ଗୁଲୁଗୁଲା ଖାଇପାରିନଥିବା ଯେତେ ଦୁଃଖ ଦେଇନଥିଲା, ତାଠାରୁ ଅଧିକ କଷ୍ଟ ଦେଇଥିଲା ଗୁଲୁ ଭାଇଙ୍କ ସେ ପାଛିଏ ଦାନ୍ତ ଦେଖେଇ ହସି ହସି ହଣ୍ଡା ମାଜିବା। ବୋଧହୁଏ ଜୀବନରେ କେତେକ ଇଚ୍ଛା ଏମିତି ହିଁ ଅଧାରେ ରହିଯାଏ ଏବଂ କେତେକ ଗୁଲୁଗୁଲା କେବଳ ମନରେ ଖାଇବାକୁ ପଡେ।

-ଦେବାନନ୍ଦ ପାତ୍ର

ଭଲ ଲାଗିଥିଲେ ମତାମତ ଦିଅନ୍ତୁ ଏବଂ ସେୟାର କରନ୍ତୁ।

Leave a Comment

Your email address will not be published. Required fields are marked *